Thursday 13 October 2016

DASAHARA ASTAMI PUJA

ମନ୍ଦିରମାଳିନୀ ସହର ଏବେ ପାର୍ବଣ ପାଇଁ ଉତ୍ସବ ମୁଖର . ଆଖି ଝଲସାଇବା ପରି ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର . ମହାସପ୍ତମୀରେ ମାଙ୍କ ପ୍ରାଣପ୍ରତିଷ୍ଠା ପରେ ଆଜି ବିଧି ମୁତାବକ ପାଳିତ ହୋଇଛି ମହାମାୟୀଙ୍କ ମହାଷ୍ଟମୀ . ଫଳରେ ସମସ୍ତ ପୂଜାମଣ୍ଡପ ପାଲଟିଥିଲା ଜନସମୁଦ୍ର . ଶାଢୀ ଛୁଆଁ ଓ ବ୍ରତ ପୂଜା ପାଇଁ ବିଶେଷକରି ଉପବାସ କରିଥିବା ମହିଳାଙ୍କର ଲାଗିଥିଲା ନାହିଁ ନଥିବା ଭିଡ଼ .
ପୃଥିବୀପୃଷ୍ଠରୁ ଅନ୍ୟାୟ ଅନୀତିର କ୍ଷୟ ସହ ଦୁଷ୍ଟ ସଂହାର କରିବା ପାଇଁ ଧରାବତରଣ କରିଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା . ସପ୍ତମୀ ପୂଜାରେ ମାଆଙ୍କୁ ଚକ୍ଷୁଦାନ କରିବା ପରେ ରବିବାର ଖୁବ୍ ଧୁମଧାମରେ ସମ୍ପାଦିତ ହୋଇଛି ମହାଷ୍ଟମୀ ପୂଜା . ସକାଳୁ ସକାଳୁ ମଆଙ୍କର ମହାସ୍ନାନ ପରେ ଆରମ୍ଭ ହୋଇଥିଲା ଅନ୍ୟାନ୍ୟ ନୀତିକାନ୍ତି . ଆଉ ଦିନ ବଢ଼ିବା ସାଙ୍ଗକୁ ଧୀରେ ଧୀରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଲାଗିଥିଲା ଭକ୍ତଙ୍କ ଗହଳି . ସମସ୍ତଙ୍କ ନଜରେଥିବା ଝାରପଡା ପୂଜା ମଣ୍ଡପରେ ଚଳିତବର୍ଷ ମାୟାମହଲରେ ଶୋଭା ପାଉଛନ୍ତି ଜଗତଜନନୀ ମା ଦୁର୍ଗା . ଏଠାରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ହେଖିବାକୁ ମିଳିଥିଲା. ଦିନଯାକ କାଷ୍ଠା ଉପବାସ କରିଥିବା ଭକ୍ତମାନେ ମାଆଙ୍କ ପାଖରେ ଖୁବ୍ ନିଷ୍ଠାର ସହ ଲାଗି କରିଥିଲେ ଭୋଗ . କେହି କେହି ଶାଢ଼ୀ ଏବଂ ନାଲୀ ଶଙ୍ଖା ଲାଗି କରି ନିଜ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରିଛନ୍ତି . ତେବେ ନିଜ ମନସ୍କାମନା ପୂରଣ ସହ ରାଜ୍ୟ ତଥା ଦେଶବାସୀଙ୍କ ଶୁଭ ମନାସିଛନ୍ତି ସଭିଏଁ .
ସେପଟେ ରାଜଧାନୀର ବମିଖାଲ ଦୁର୍ଗାପୂଜା ମଣ୍ଡପରେ ମାହେଶମତୀ ପ୍ୟାଲେସ ଭିତରେ ମା ଦୁର୍ଗା ଝଟକୁଛନ୍ତି . ଆଉ ତୋରଣ ସମ୍ମୁଖରେ ଥିବା ଦେବଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ବିଶେଷ ଆକର୍ଷଣ ସାଜିଛି . ଜଗଜ୍ଜନନୀ ମା ଦୁର୍ଗାଙ୍କୁ ପୂଜା କରି ନିଜ ନିଜର ମନସ୍କାମନା ପୂରଣ ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି  . କିଏ ଉପବାସ କରି ମାନସିକ ରଖିଛି ତ ଆଉ କିଏ ଧୂପ, ଦୀପ, ନୈବେଦ୍ୟ ଓ ଭୋଗ ଅର୍ପଣ କରି ମା’ଙ୍କୁ ପୂଜା କରିଛି . ଶାନ୍ତିଶୃଙ୍ଖଳାରେ ପୂଜାକୁ ସମାପନ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି . ଅଷ୍ଟମୀ ଦିନରେ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ ଲାଗିଥିବା ବେଳେ ମଣ୍ଡପମାନଙ୍କରେ ଭୋଗ, ଖେଚୁଡ଼ି ଆଦି ବଣ୍ଟନ କରାଯାଇଛି . ଆଉ ଉରି ଆକ୍ରମଣରେ ଶହୀଦ ହୋଇଥିବା ଜବାନମାନଙ୍କୁ ଏହି ପୂଜା ମଣ୍ଡପ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି.  

No comments:

Post a Comment